ଦିଲ୍ଲୀର ୫୦ରୁ ଅଧିକ ସ୍କୁଲ୍‌କୁ ବୋମା ଧମକ, ପୋଲିସ୍‌ର ତଦନ୍ତ ଆରମ୍ଭ

Published By : Prameya-News7 Bureau | August 20, 2025 IST

ନୂଆଦିଲ୍ଲୀ ୨୦।୦୮; ଦିଲ୍ଲୀର ସ୍କୁଲ ଗୁଡ଼ିକୁ ଲଗାତାର ଧମକପୂର୍ଣ୍ଣ ଇମେଲ୍ ମିଳୁଛି। ଧମକ ଗୁଡିକ ଥମିବାର ନାଁ ନେଉନାହିଁ। ଏବେ ୫୦ରୁ ଅଧିକ ସ୍କୁଲକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି। ଆଜି ସକାଳେ ନଜଫଗଡ଼ ଏବଂ ମାଲବୀୟ ନଗରର ଆଉ ଏକ ସ୍କୁଲକୁ ଇମେଲ୍ ମାଧ୍ୟମରେ ବୋମାରେ ଉଡାଇବାକୁ ଧମକ ମିଳିଛି। ଏହା ପରେ ସ୍କୁଲ୍‌ ଛାତ୍ର-ଛାତ୍ରୀ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଧମକ ବିଷୟରେ ସୂଚନା ପାଇବା ପରେ, ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହା ସହିତ, ଡଗ୍ ସ୍କ୍ୱାଡ୍, ବମ୍ ସ୍କ୍ୱାଡ୍ ଏବଂ ଅଗ୍ନିଶମ ବିଭାଗ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍ ମିଳିଛି। ସକାଳ ୭.୪୦ ଏବଂ ୭.୪୨ରେ ଦୁଇଟି ସ୍କୁଲରେ ବୋମା ଧମକ ମିଳିଛି। ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ସ୍କୁଲରେ ପହଞ୍ଚି ଖୋଜାଖୋଜି କରୁଛନ୍ତି। ଏସକେଭି ମାଲବୀୟ ନଗର ଏବଂ ପ୍ରସାଦ ନଗରର ଆନ୍ଧ୍ର ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍ ପଠାଯାଇଛି। ସନ୍ଦେହ କରାଯାଉଛି ଯେ ଏହି ଧମକପୂର୍ଣ୍ଣ ମେସେଜ୍ ଅନ୍ୟ ସ୍କୁଲକୁ ମଧ୍ୟ ପଠାଯାଇପାରେ।

ଅଗଷ୍ଟ ୧୮ ରେ ୩୨ ଟି ସ୍କୁଲକୁ ଧମକ ମିଳିଥିଲା

ସୋମବାର ଦିନ ଦିଲ୍ଲୀର ଦ୍ୱାରକାର ତିନୋଟି ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା। ଯାହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ଏବଂ କର୍ତ୍ତୃପକ୍ଷଙ୍କୁ ପରିସର ଖାଲି କରିବାକୁ ପଡିଥିଲା। ମୋଟ ୩୨ ଟି ସ୍କୁଲକୁ ସମାନ ଧମକ ମିଳିଥିଲା, ଯାହା ପରେ ଏହା ମିଛ ବୋଲି ଜଣାପଡ଼ିଥିଲା। ଧମକପୂର୍ଣ୍ଣ ଇମେଲ୍ ପାଇବା ପରେ, ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ଏବଂ ପ୍ରୋଟୋକଲ ଅନୁଯାୟୀ, ଡଗ୍ ସ୍କ୍ୱାଡ୍, ବମ୍ ସ୍କ୍ୱାଡ୍ ଏବଂ ଅଗ୍ନିଶମ ବିଭାଗର ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.